ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ      
                             ଡ଼କ୍ଟର ସଂଯୁକ୍ତା ଦାସ 
ଦୂରଭାଷ - ୮୨୪୯୦ ୧୪୩୭୮
         
         ଦେଶ ତଥା ଜାତିର ଆତ୍ମ ପରିଚୟ ହେଉଛି ତାର ନିଜସ୍ୱ ସଂସ୍କୃତି l ସଂସ୍କୃତି ମାଧ୍ୟମରେ ଗୋଟିଏ ଦେଶ ବା ଜାତିର ଐତିହ୍ୟ ଓ ପରମ୍ପରାର ସାର୍ଥକ ପରିପ୍ରକାଶ ହୋଇଥାଏ l ସମୟର ବିବର୍ତ୍ତନ, ଭୌଗୋଳିକ ପରିବର୍ତ୍ତନ , ଜାତୀୟ ବିପତ୍ତି, ଯୁଦ୍ଧ ଓ  ଧାର୍ମିକ ମତ ପାର୍ଥକ୍ୟ ଯୋଗୁ,ବହୁ ପ୍ରାଚୀନ ସଂସ୍କୃତି କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି l ଅନେକ ସଂସ୍କୃତି  ତାର ନିଜସ୍ୱ ଭୂଖଣ୍ଡରେ ସୀମିତ ଓ ସଂକୁଚିତ ହୋଇ ରହିଯାଇଛି l  କିନ୍ତୁ ଯେଉଁ ସଂସ୍କୃତି - ମାନବର ସୁଖଦୁଃଖ ସହ ସମଭାବାପନ୍ନ, ମାନବର ହିତ ପାଇଁ ଉଦିଷ୍ଟ, ମାନବୀୟ ଶୁଭଚିନ୍ତନ ଦ୍ୱାରା ପରିମାର୍ଜିତ, ସେଇ ସଂସ୍କୃତି ଚିରକାଳ ତାର ସ୍ୱାଭିମାନ ଓ ପ୍ରତିଷ୍ଠାକୁ ବଜାଇ ରଖିଥାଏ l ସେଇପରି ଏକ ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି l ଯାହାର ମୁଖ୍ୟ ଆରାଧ୍ୟ ଦେବତା "ଶ୍ରୀଜଗନ୍ନାଥ "l ଯିଏକି ଗଣଦେବତା ଭାବରେ ସର୍ବତ୍ର ପରିଚିତ l
           ଶ୍ରୀଜଗନ୍ନାଥ ସଂସ୍କୃତି ଏପରି ଏକ ସଂସ୍କୃତି ଯାହା ବହୁ ପ୍ରାଚୀନ ତଥା ମାନବିକତା ଦୃଷ୍ଟିରୁ ନିତ୍ୟ ନୂତନ l ସମସାମୟିକ ସମାଜରେ ମାନବ ସୁଲଭ ଅନୁଚିନ୍ତା ଓ ଜନ କଲ୍ୟାଣ ଭାବନା ପାଇଁ 'ଶ୍ରୀଜଗନ୍ନାଥ ସଂସ୍କୃତିର ଅସ୍ମିତl ଆଜି ପରିବର୍ଦ୍ଧିତ ହୋଇପାରିଛି l ଉତ୍କଳରୁ ସୃଷ୍ଟି ଲାଭ କରିଥିବା ଏହି ସଂସ୍କୃତି ମହାଭାରତୀୟ ମହାନୁଭବତlର ପ୍ରଦର୍ଶନ ପୂର୍ବକ ସମ୍ପ୍ରତି ବିଶ୍ୱ ସଂସ୍କୃତିର ମର୍ଯ୍ୟାଦା ଲାଭ କରିପାରିଛି lମାନବ କଲ୍ୟାଣ ଭାବଧାରା ଯଥା - ଶାନ୍ତି, ମୈତ୍ରୀ, ପ୍ରୀତି, ସାମ୍ୟତା ପ୍ରଦର୍ଶନ ପୂର୍ବକ ସକଳ ମାନବ ଜାତିର ଉନ୍ନତି, ଅଭିବୃଦ୍ଧି,ଶାନ୍ତି, ସୌହାର୍ଦ୍ଧ୍ୟ ପାଇଁ ଦିଗ ବାରେଣୀ ସାଜିଛି l ସମସ୍ତ ସଂକୀର୍ଣ୍ଣତା ଅଞ୍ଚଳିକତା ଓ ସ୍ଥାନୀୟତା ଉର୍ଦ୍ଧରେ ରହି ଶ୍ରୀଜଗନ୍ନାଥ ଚେତନା ଆଜି ସମଗ୍ର ବିଶ୍ୱ ଦ୍ୱାରା ବନ୍ଦନୀୟ ହୋଇପାରିଛି l
         ଶ୍ରୀଜଗନ୍ନାଥ ସଂସ୍କୃତି ଓ ଏବଂ ଏହାର ଆରାଧ୍ୟ ଦେବତା "ଶ୍ରୀଜଗନ୍ନାଥ"ଙ୍କ ସୃଷ୍ଟି ରହସ୍ୟ ଖୋଜି ପାଇବା କଷ୍ଟସାଧ୍ୟ l ବହୁ  ଆଲୋଚକ, ଗବେଷକ, ଚିନ୍ତlନାୟକ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସର୍ବସମ୍ମତି ମତ ଦେଖିବାକୁ ମିଳେନାହିଁ l ପ୍ରାକ ବୈଦିକ କାଳରୁ ଏହାର ସୃଷ୍ଟି ବୋଲି ଆକଳନ କରାଯାଏ  l ବେଦ,ଉପନିଷଦ, ସୂତ୍ର, ବେଦାଙ୍ଗ, ସଂସ୍କୃତ କାବ୍ୟ ଓ ପୁରାଣ ମାନଙ୍କରେ ଶ୍ରୀଜଗନ୍ନାଥ ଚେତନାର ନିର୍ଯାସକୁ ଲକ୍ଷ୍ୟ କରାଯାଏ l 
        ବେଦ ସମଗ୍ର ବିଶ୍ୱର ସର୍ବ ପ୍ରାଚୀନ ଜ୍ଞାନଗ୍ରନ୍ଥ ରୂପେ ଅବିହିତ l ରୁଗବେଦ,ଅଥର୍ବ ବେଦ ଓ ସ୍କନ୍ଦ ପୁରାଣ ରେ ଶ୍ରୀଜଗନ୍ନାଥଙ୍କ ସୃଷ୍ଟି ଓ ରହସ୍ୟର ସୂଚନା ମିଳେ l ଋଗବେଦର ଦଶମ ମଣ୍ଡଳ ୧୫ ସୂକ୍ତ ତୃତୀୟ ମନ୍ତ୍ରରେ କୁହାଯାଇଛି - 
" ଅଦୌଯଦ୍ଦlରୁ ପ୍ଳବତେ ସିନ୍ଧେl ପାରେ ଅପୁରୁଷମ୍ 
  ତଦାରଭସ୍ଵ ଦୁର୍ଦୁଣେl ତେନ ଗଛ ପରସ୍ତରମ୍  l" 
ପରବର୍ତ୍ତୀ କାଳରେ ଏହି ମନ୍ତ୍ରଟି ଅର୍ଥବ୍ୟବେଦ ଓ ସ୍କନ୍ଦ ପୁରଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି l ଯଥା -
"ଯ (ସ) ଏଷ ପ୍ଳବତେ ଦାରୁ8 -ସିନ୍ଧେl8ପାରେ ହ୍ୟ ପୌରୁଷ8 l   ତମୁପାସ୍ୟ ଦୁରାରଧ୍ୟ୍ୟ° ମୁକ୍ତି ଯାନ୍ତି ସୁଦୁର୍ଲଭମ l "
ଉପରୋକ୍ତ ମନ୍ତ୍ରର ପ୍ରଥମ ଭାଷ୍ୟକାର ସାୟଣଚାର୍ଯ୍ୟଙ୍କ ମତରେ- 'ବର୍ତ୍ତମାନ ସମୁଦ୍ର ଜଳରେ ପୁରୁଷୋତ୍ତମ ଭଗବାନ ଦାରୁମୂର୍ତ୍ତି ଧାରଣ କରି ଅବିର୍ଭୁତ ହୋଇଛନ୍ତି l ନିର୍ମାଣ ରହିତ ଯୋଗୁ ସେ ଅପୌରୁଷ,ଏହି ଦାରୁମୟ ଦୁରାଧ୍ୟ ଦେବତାଙ୍କୁ ଉପାସନା କରିବା ଲୋକ ଦୁର୍ଲ୍ଲଭ ମୁକ୍ତି ପ୍ରାପ୍ତ ସହିତ ବୈଷ୍ଣବ ଲୋକକୁ ଗମନ କରନ୍ତି 'l 'ଶ୍ଵେତାଶ୍ୱତର' ଉପନିଷଦରେ ମଧ୍ୟ କୁହାଯାଇଛି- 'ହସ୍ତପଦ ନଥାଇ ସେ ସର୍ବଧିକାରୀ, କର୍ଣ୍ଣ ନଥାଇ ସେ ସର୍ବ ଦ୍ରଷ୍ଟା, ଚକ୍ଷୁ ନଥାଇ ସେ ସର୍ବଦର୍ଶୀ, ସର୍ବଜ୍ଞlନ୍ତା, ସର୍ବ ଶକ୍ତିମାନ, ପୁରୁଷୋତ୍ତମ ହେଉଛନ୍ତି ଦାରୁବ୍ରହ୍ମ -ଶ୍ରୀଜଗନ୍ନାଥ l' 'ସ୍କନ୍ଦପୁରାଣ'ରେ ଶ୍ରୀଜଗନ୍ନାଥ ଙ୍କୁ ଦାରୁବ୍ରହ୍ମ ରୂପେ ସ୍ୱୀକାର କରାଯାଇ ବହୁ ଶ୍ଳୋକ ରେ ନୀଳାଚଳର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନାଦି, ନିରାକାର, ଶୂନ୍ୟବ୍ରହ୍ମ, ପରଂବ୍ରହ୍ମ, ଦାରୁବ୍ରହ୍ମ ରୂପେ ଉପାସନା କରିବା ପାଇଁ ନିର୍ଦେଶ ଦିଆଯାଇଛି l ନାରାୟଣ 'ପୂର୍ଵତପିନୀୟୋପନିଷଦ' ଅନୁସାରେ- ପରଂଭ୍ରମ ଏକାଧାରରେ ନାରାୟଣ, ମହାପୁରୁଷ, ସହସ୍ରଶୀର୍ଷl, ମହାବିଷ୍ଣୁ, ବାସୁଦେବ ଏବଂ ଜଗନ୍ନାଥlଦି ନାମରେ ସ୍ତୁତି କରାଯାଇଛି l 
       ବୈଦିକ ପରବତ୍ତୀ ଜୈନ ସମାଜରେ 'ଶ୍ରୀଜଗନ୍ନାଥ'ଙ୍କୁ ଜୈନ ଧର୍ମ ସହିତ ଜଡିତ କରାଯାଇ ଆଦି ଜୀନ ରୁଷବନାଥ ରୂପେ ନିର୍ଣ୍ଣୟ କରିଛନ୍ତି ଗବେଷକ ନୀଳକଣ୍ଠ ଦାସ, କେଦାର ନାଥ ମହାପାତ୍ର ଓ ପଣ୍ଡିତ ବିନାୟକ ମିଶ୍ର l ସେମାନଙ୍କ ମତରେ 'ଜଗନ୍ନାଥ' ଶବ୍ଦ ଜୈନ ମାନଙ୍କର 'ଜୀନ ' ବା ଜୀନନାଥ ଶବ୍ଦର ନମାନ୍ତର l ଜୈନ ମାନଙ୍କ ମତରେ ଋଷବନାଥ ହେଉଛନ୍ତି ପୁରୁଷର ନାଥ ପୁରୁଷୋତ୍ତମ l ଏହା ସହିତ ଜଗନ୍ନାଥ ଉପାସନା, ପରମ୍ପରାରେ ପ୍ରଚଳିତ ପର୍ବପର୍ବାଣୀ ଓ ଵିଧିବିଧାନ ସହିତ ଜୈନ ଆଦିନାଥ ଋଷଭନାଥଙ୍କ ଉପାସନାର ସମାନତlକୁ ପ୍ରାମାଣିକ ତଥ୍ୟ ରୂପେ ନେଇଥାନ୍ତି l ସେମାନେ ଋଷବନାଥଙ୍କୁ ବିଷ୍ଣୁଙ୍କର ଏକ ଅବତାର ଭାବେ ଗ୍ରହଣ କରନ୍ତି l ଶ୍ରୀମନ୍ଦିରର ତ୍ରିମୁର୍ତ୍ତି ଜୈନ ଧର୍ମର ତ୍ରିରତ୍ନର ପ୍ରଭାବ,ବିଗ୍ରହ ବୋଲି ଜୈନ ମାନେ ଯୁକ୍ତି କରିଛନ୍ତି l ଜଗନ୍ନାଥଙ୍କୁ ଶବର ଦେବତା ରୂପେ ସେମାନେ ସ୍ୱୀକାର କରନ୍ତି l 
      ଜୈନ ମାନଙ୍କ ପରି ବୌଦ୍ଧ ସନ୍ୟାସୀ ମାନେ ଶ୍ରୀଜଗନ୍ନାଥଙ୍କୁ 'ବୌଦ୍ଧ' ବୋଲି ମତ ଦିଅନ୍ତି l ସେମାନଙ୍କ ମତରେ ବୌଦ୍ଧ ଧର୍ମର ତ୍ରିରତ୍ନ ଯଥା - ବୁଦ୍ଧ, ଧର୍ମ, ସଙ୍ଘର ପ୍ରତୀକାତ୍ମକ ବିଗ୍ରହ ହେଉଛନ୍ତି ବଳଭଦ୍ର, ସୁଭଦ୍ରା, ଓ ଶ୍ରୀଜଗନ୍ନାଥ ଆଦି ତ୍ରିମୁର୍ତ୍ତି  l ବିଶେଷତଃ ଇନ୍ଦ୍ରଭୁତିଙ୍କର ବୌଦ୍ଧ ବଜ୍ରଯାନର 'ଜ୍ଞାନସିଦ୍ଧି 'ଗ୍ରନ୍ଥର ମଙ୍ଗଳା ଚରଣରେ ଉଲ୍ଲିଖିତ "ପ୍ରଣିପତ୍ୟ ଜଗନ୍ନାଥ° ସର୍ବଜିନ ବିରlର୍ଚ୍ଚିମ " ଆଦି ଶ୍ଳୋକ ସହିତ ସାରଳା ମହାଭାରତର ମଧ୍ୟପର୍ବରେ ବର୍ଣ୍ଣିତ -
   "ଵଉଦ୍ଧ ରୂପରେ କଳିଯୁଗେ ଅବତାର 
   ହୋଇଣ ପାପୀଜନଙ୍କୁ କରୁଛ ଉଦ୍ଧାର " l 
ପଂକ୍ତିକୁ ଉଦ୍ଧାର କରି ଶ୍ରୀଜଗନ୍ନାଥଙ୍କୁ ବୌଦ୍ଧ ଦେବତା ବୋଲି ବିବେଚନ କରାଯାଇଛି l ତେବେ ବୌଦ୍ଧ ଧର୍ମ ଓ ଜୈନ ଧର୍ମ ହିନ୍ଦୁ ସନାତନ ଧର୍ମର ଗୋଟିଏ ଗୋଟିଏ ଶାଖା କହିଲେ ଭୁଲ ହେବନାହିଁ l 
    ସଂସ୍କୃତ ରାମାୟଣରେ ବାଲ୍ମୀକି ଜଗନ୍ନାଥଙ୍କୁ ରାମ ରୂପରେ, ତଥା ଶ୍ରୀରାମଙ୍କ ଅବର୍ତ୍ତମାନରେ ଜଗନ୍ନାଥଙ୍କୁ ଆରାଧନା କରିବା ପାଇଁ ବିଭୀଷଣଙ୍କୁ ସୋୟଂ ରାମଚନ୍ଦ୍ର ପରାମର୍ଶ ଦେଇଛନ୍ତି l ଯଥା -
" କିଂ ଚାନ୍ୟବକ୍ତ୍ୟୁ ମିଛlମି ରକ୍ଷସେନ୍ଦ୍ର ମହାବଳ 
   ଆରାଧୟ ଜଗନ୍ନାଥମିକ୍ଷlକୁ କୁଳଦୈବତମ l "(ଉତ୍ତରାକାଣ୍ଡ)
ଅଷ୍ଟମ,ନବମ ଶତାବ୍ଦୀର ସଂସ୍କୃତ କବି ମୁରାରିଙ୍କ "ଅନର୍ଘରାଘବ" ନାଟକରେ ନୀଳାଚଳ କ୍ଷେତ୍ରର ମହିମା ବର୍ଣ୍ଣିତ l ବିଭିନ୍ନ ମୁଖ୍ୟ ସଂସ୍କୃତ ପୁରାଣ ବ୍ୟତୀତ ତନ୍ତ୍ରଶାସ୍ତ୍ର ଯଥା -ତନ୍ତ୍ରଯlମଳ, ରୁଦ୍ର ଯlମଳ  କlଳିକା ପୁରାଣ, ମହାପୁରୁଷ ବିଦ୍ୟା ଗ୍ରନ୍ଥରେ ଜଗନ୍ନାଥଙ୍କୁ 'ଭୈରବ' ରୂପେ ବର୍ଣ୍ଣନା କରିବା ସହିତ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁ ରୂପରେ ଅବସ୍ଥାନ କରୁଥିବା ଜଗନ୍ନାଥଙ୍କୁ ଭକ୍ତଜନର ମୁକ୍ତି ପ୍ରଦ ଦେବତା ରୂପେ ବର୍ଣ୍ଣନା କରାଯାଇଛି l ଯଥା -
  "  ଭାରତେ ଚୋକ୍ଳଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମ
     ଦାରୁରୂପୀ ଜଗନ୍ନାଥୋ ଭକ୍ତ ନାମ ଭୟପ୍ରଦୋ8 l"
                                             (ତନ୍ତ୍ର ଯlମଳ)
ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ମାହାତ୍ମ୍ୟ (ଭକ୍ତି) ସାହିତ୍ୟରେ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣ, ନିରାକାର, ଅରୂପ, ଅବ୍ୟକ୍ତ, ଅସୀମ,ଓ ସନାତନ ରୂପେ ପରିକଳ୍ପନା ସହ ମାନବୀୟ ବିଶ୍ୱାସ ଓ ଧାରଣା ପ୍ରତିଫଳିତ l ତେଣୁ ପ୍ରତେକ ଧାର୍ମିକ ସମ୍ପ୍ରଦାୟ ସେମାନଙ୍କର ଆଧ୍ୟାତ୍ମିକ ଚେତନାର ଆରାଧ୍ୟ ଦେବତାଙ୍କ ଭାବମୂର୍ତ୍ତି ପ୍ରତ୍ୟେକ୍ଷ ଦର୍ଶନ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ମଧ୍ୟରେ l ଏହାହିଁ ଶ୍ରୀଜଗନ୍ନାଥ ଚେତନାର ବୈଶିଷ୍ଟ୍ୟ l 
       ମାନବୀୟ ଅନୁଚିନ୍ତା ମୂଳକ ଧର୍ମ ଭାବନା ଶ୍ରୀଜଗନ୍ନାଥ ସଂସ୍କୃତିର ମୁଖ୍ୟ ଆବେଦନ l ସାମ୍ୟ, ମୈତ୍ରୀର ଭାବଧାରା ଶ୍ରୀଜଗନ୍ନାଥ ସଂସ୍କୃତିକୁ କରିଛି ମହାନ l ସର୍ବ ଧର୍ମ ସମନ୍ୱୟର ମୂର୍ତ୍ତିମନ୍ତ ପ୍ରତୀକ ମଧ୍ୟ ଶ୍ରୀଜଗନ୍ନାଥ l ସକଳ ଧର୍ମ, ଦର୍ଶନ,ଆଦର୍ଶକୁ ଭିତ୍ତିକରି ଶ୍ରୀଜଗନ୍ନାଥ ଚେତନା ହୋଇଛି ବିଶ୍ୱ ମାନବ କୈନ୍ଦ୍ରିକ l ଶ୍ରୀଜଗନ୍ନାଥ ଙ୍କ ଦେହରେ ବ୍ରହ୍ମଙ୍କର ଆବିର୍ଭାବ ଥିବାରୁ ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ସୌର, ଜୈନ୍ୟ,ବୌଦ୍ଧ ପ୍ରଭୁତି ଧର୍ମ ସମ୍ପ୍ରଦାୟ ମାନେ ଶ୍ରୀଜଗନ୍ନାଥଙ୍କୁ ନିଜର ଉପାସ୍ୟ ଦେବତା ରୂପେ ଗ୍ରହଣ କରିନେଇଛନ୍ତି l ଦୈତ୍ୟବାଦୀ, ଅଦୈତ୍ୟବାଦୀ, ବିଶୁଦ୍ଧ ଦୈତ୍ୟବାଦୀ,     ଅଚିନ୍ତ୍ୟ - ଭେଦାଭେଦବାଦୀ ପ୍ରମୁଖ ସିଧାଚାର୍ଯ୍ୟ ମାନେ "ଶ୍ରୀଜଗନ୍ନାଥ"ଙ୍କର ବ୍ୟାପକତ୍ୱ, ସାର୍ଵ- ଭୌମତ୍ୱ ଓ ସlର୍ବଜନନୀତ୍ୱ ଓ ମାନବବାଦୀ ଚେତନକୁ ସ୍ୱୀକାର କରିନେଇଛନ୍ତି l ସିଦ୍ଧାଚାର୍ଯ୍ୟ ଶଙ୍କର, ଚୈତନ୍ୟ, ନାନକ, କବିର, ରାମାନୁଜ, ନିମ୍ବlର୍କ, ବଲ୍ଲଭା- ଚାର୍ଯ୍ୟ,  ତୁଳସୀଦାସ ପ୍ରମୁଖ ସନ୍ଥ ମାନଙ୍କର ଧର୍ମ ମତବାଦ ଶ୍ରୀଜଗନ୍ନାଥ ଚେତନାରେ ମିଶିଯାଇଛି l ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ରେ ସର୍ଵଧର୍ମ ସମନ୍ୱୟର ଭାବଧାରା ସୁସ୍ପଷ୍ଟ ଓ ମାନବବାଦୀ l
         ଆର୍ଯ୍ୟ ଓ ଅନାର୍ଯ୍ୟର 'ଗଣ 'ଦେବତା ଭାବରେ ଶ୍ରୀଜଗନ୍ନାଥ ପରିଚିତ l ଶବର ଜାତିର ସେ 'ଶାବରୀ ଦେବତା',ଜୈନ ମାନଙ୍କର ସେ 'ରୁଷବନାଥ',ବୌଦ୍ଧ ମାନଙ୍କର ସେ 'ପରମ ବୁଦ୍ଧ 'ଓ ଶାକ୍ତ ମାନଙ୍କର ସେ 'ଶକ୍ତିର ପ୍ରତୀକ' l ସର୍ବଭାରତୀୟ ପରିପ୍ରେକ୍ଷୀରେ ଭାରତରେ ଆଧ୍ୟାତ୍ମିକତାର ଏକତା ପାଇଁ ଯେଉଁ ଚାରି ଧାମ ଅଛି ତନ୍ମଧ୍ୟରେ 'ଶ୍ରୀକ୍ଷେତ୍ର' ବା ପୁରୁଷୋତ୍ତମକ୍ଷେତ୍ର ପୁଣ୍ୟକ୍ଷେତ୍ର ଭାବରେ ପରିଗଣିତ l ଯେଉଁଠି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁ ଧର୍ମମତ ଓ ସଂସ୍କୃତିର ମହାମିଳନ ଘଟିଛି l ଜଗନ୍ନାଥ ଧର୍ମରେ ଅନ୍ୟ ଧର୍ମ ପ୍ରତି ବିଦ୍ବେଷ ଭାବ ନ ଥାଏ l ଏହା ସାର୍ବଜନୀନତା ହୋଇଥିବାରୁ ମାନବଧର୍ମର ଅତି ନିକଟତର l ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ଧର୍ମ ପ୍ରତି ଶ୍ରଦ୍ଧା ପୋଷଣ କରିଥାନ୍ତି l
         ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ' ମହାପ୍ରସାଦ ' ବିଶ୍ଵବିଦିତ l ଏହାର ମହାତ୍ମ୍ୟ ଅବର୍ଣ୍ଣନୀୟ l ମହାପ୍ରସାଦ ର ଅନ୍ୟନାମ - କୈବଲ୍ୟ l ମାନବିକତାର ମହାନୁଭବତା ମହାପ୍ରସାଦରେ ପରିଲକ୍ଷିତ l ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ପାତ୍ରରେ, ଗୋଟିଏ ପିଣ୍ଡିରେ ଏକତ୍ର ସେବନ କରିବାର ପ୍ରଥା ଶ୍ରୀକ୍ଷେତ୍ର ରୁ କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ l ମହାପ୍ରସାଦ ରେ ଛୁଆଁ ଅଛୁଆ ଭେଦଭାବ ନାହିଁ l ସମାଜକୁ ମାନବିକତା ଓ ଏକତା ସୂତ୍ରରେ ବାନ୍ଧିବା  ପାଇଁ ମହାପ୍ରସାଦ ଏକ ଅବ୍ୟର୍ଥ ପ୍ରୟାସ l
         ଶ୍ରୀଜଗନ୍ନାଥ ସଂସ୍କୃତିରେ ସ୍ନେହ, ଶ୍ରଦ୍ଧା, ପ୍ରେମର ଗୁରୁତ୍ୱକୁ ଉପଲବ୍ଧି କରାଯାଏ l ଶ୍ରୀଜଗନ୍ନାଥ ସମାଜରେ ମାନବ ଓ ମାନବେତର ଜୀବ ମାନଙ୍କ ସହ ପ୍ରେମ ସୂତାରେ ବନ୍ଧା l ସେ ଭକ୍ତ ସାଲବେଗ ହୁଅନ୍ତୁ ବା ଦାସିଆ ବାଉରୀ ହୁଅନ୍ତୁ, ଶ୍ରୀୟା ଚଣ୍ଡାଳୁଣୀ ହୁଅନ୍ତୁ ବା ବିପଦରେ ପଡ଼ିଥିବା ଗଜ ହେଉ l ସମସ୍ତଙ୍କୁ ନିଜର ଅନାବିଳ ପ୍ରେମ ମାଧ୍ୟମରେ ବାନ୍ଧି ରଖିବାର ସାମର୍ଥ୍ୟ ଜଗନ୍ନାଥ ସଂସ୍କୃତି ପ୍ରଦାନ କରିଛି l ଏଇ ସ୍ନେହ, ଶ୍ରଦ୍ଧା, ପ୍ରେମ ସ୍ୱରୂପ -           ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ବିଶ୍ଵର ପ୍ରତ୍ୟେକ ପ୍ରାନ୍ତରୁ ଜନଗଣ ଛୁଟି ଆସନ୍ତି ତାଙ୍କ ସହ ଘୋଷଯାତ୍ରାରେ ନିଜକୁ ଯୋଡିବା ପାଇଁ l ସୁତରାଂ "ମାନବପ୍ରେମ"ଜଗନ୍ନାଥ ସଂସ୍କୃତିର  ଅନ୍ୟତମ ବଳିଷ୍ଠ ବିଭବ l
         ସାମାଜିକ ସାମ୍ୟ ଓ ସଦଭାବନା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ମାନବସୁଲଭ ଅନୁଚିନ୍ତା l ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ପୁରୀର ଗଜପତି ଠାକୁର ରାଜା ଛେରlପଂହଁରା କରିବା କମ ବଡ ଆଶ୍ଚର୍ଯ୍ୟର କଥାନୁହେଁ l ଯାହା ସୂଚନା ପ୍ରଦାନ କରୁଛି ଆତ୍ମବଡ଼ିମା ଓ ଅହଂକାର ବିହୀନ ଏହି ଜଗନ୍ନାଥ ସଂସ୍କୃତି l ଏଠାରେ ବୃଥା ଅଭିମାନ, ଦମ୍ଭ, ଓ ଗର୍ବର କଳୁଷିତା ନାହିଁ l ଜଗନ୍ନାଥ ସଂସ୍କୃତି ରେ ନାରୀ ପ୍ରତି ସମ୍ମାନ, କରୁଣା ଓ ଅହିଁସାର ସାମାଜିକ ପ୍ରଭାବ ମଧ୍ୟ ପରିଦୃଶ୍ୟ ହୁଏ l ଯାହା ଫଳସ୍ୱରୂପ ଜଗନ୍ନାଥ ସଂସ୍କୃତି ସମ୍ପ୍ରତି ମାନବ ସମାଜର  ନିକଟତର ହୋଇପାରିଛି l

         ସୁତରାଂ, ସମସାମୟିକ ଜନ ଜୀବନ ଓ ପ୍ରାଣ ସ୍ପନ୍ଦନରେ ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡିଶାରେ ନୁହେଁ, ଭାରତ ତଥା ବିଶ୍ୱରେ ନିଜର ପ୍ରଭାବ ଓ ପ୍ରତିଷ୍ଠାକୁ ବଜାଇ ରଖିଛି l ଶ୍ରୀଜଗନ୍ନାଥ ଯେପରି ମାନବ ସଦୃଶ ଚଳନ୍ତି ଠାକୁର ସେଇପରି ତାଙ୍କର ଧର୍ମ ମଧ୍ୟ ମାନବୀୟ l ସାମ୍ୟ, ମୈତ୍ରୀ, କରୁଣାର ଗନ୍ତାଘର l ସ୍ନେହ, ଶ୍ରଦ୍ଧା, ପ୍ରେମରେ ପରିପୂର୍ଣ l ବିଶ୍ୱଭାତୃତ୍ୱ ବୋଧ,ସଂହତି ପ୍ରତିଷ୍ଠା କରିବା ପାଇଁ ଏକାନ୍ତ ଅପରିହାଯ୍ୟ l ସାମ୍ପ୍ରତିକ ସମାଜ ଯେଉଁଠି ଅହରହ ଯୁଦ୍ଧଦ୍ୱାରା ପୀଡିତ ହୋଇ ମାନବ ଜୀବନ ମୃତ୍ୟୁର ବଳୟ ମଧ୍ୟରେ କବଳିତ ହୋଇଯାଉଛି, ଧର୍ମlନ୍ଧତା, ଶୋଷଣ,ଆତଙ୍କବାଦ ଓ ସ୍ୱାର୍ଥ କୈନ୍ଦ୍ରିକ ଆର୍ଥିକ ଚିନ୍ତା ଦ୍ୱାରା ସମାଜର ଅବକ୍ଷୟ ହେଉଛି ଓ  ଜୀବନ ଦୁଃଖ, ଅଶାନ୍ତି ମଧ୍ୟ ଦେଇ ଗତି କରୁଛି, ତେଣୁ ଯଦି ପ୍ରତ୍ୟେକ ମାନବ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ଓ ମାନବବାଦୀ ଭାବlଦର୍ଶକୁ ଗ୍ରହଣ କରିବେ ତେବେ ମାନସିକ ଶାନ୍ତି ସହ ଆଧ୍ୟାତ୍ମିକତା ମାଧ୍ୟମରେ ବିଶ୍ୱଭାତୃତ୍ୱ ଭାଵ ନିଶ୍ଚୟ ପ୍ରତିଷ୍ଠା ହୋଇପାରିବ l

                  ******
ଅଧ୍ୟାପିକା (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ )
       ରଘୁନାଥ ସମବାୟ ମହାବିଦ୍ୟାଳୟ
       ଓଡଗାଁ,ନୟାଗଡ଼

Comments

Popular posts from this blog

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।